ମୁମ୍ଵାଇ ୦୯।୦୩; ପୁଣି ବିବାଦ ଘେରରେ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ୍। ପାନ ମସଲାର ବିଜ୍ଞାପନ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୟପୁରର ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଫୋରମରେ ଏହି ତାରକାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଫୋରମ୍ ସମସ୍ତ ତିନି କଳାକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ନୋଟିସରେ ବିମଳ ପାନ ମସଲାର ଭ୍ରମ ଆଡ୍ ପାଇଁ ୧୯ ମାର୍ଚ୍ଚରେ ହାଜର ହେବାକୁ କୁହାଯାଇଛି। ଏହି ଆଡ୍ରେ ଦାବି କରାଯାଇଛି ଯେ, ପାନ୍ ମସଲାର ପ୍ରତିଟି ଦାନାରେ କେଶର ଥାଏ। ଆଡ୍ର ଟ୍ୟାଗ ଲାଇନ ରହିଛି, ‘ଦାନେ ଦାନେ ମୈ କେଶର କା ଦମ୍’। ଆୟୋଗ ଅଧ୍ୟକ୍ଷ ଗ୍ୟାରସିଲାଲ ମୀନା ଏବଂ ସଦସ୍ୟ ହେମଲତା ଅଗ୍ରୱାଲ ଜୟପୁରରେ ରହୁଥିବା ୟୋଗେନ୍ଦ୍ର ସିଂହ ବଡିୱାଲଙ୍କ ଅଭିଯୋଗ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମିଥ୍ୟା ପ୍ରଚାର କରୁଥିବାର ଅଭିଯୋଗରେ କହିଛନ୍ତି ଯେ, ଜେବି ଇଣ୍ଡଷ୍ଟ୍ରିଜ ବିମଲ ପାନ ମସଲା ତିଆରି କରିଥାଏ ଏବଂ ସାରା ଦେଶରେ ଏହାର ବିକ୍ରୟ ହେଉଛି। ଆବେଦନକାରୀ ଲେଖିଛନ୍ତି ଯେ, ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ୍ ଏହାର ବିକ୍ରୟ ପାଇଁ ଆଡ୍ କରନ୍ତି।
ଏହି ଆଡ୍ରେ ଦାବି କରାଯାଇଛି ଯେ, ଏଥିରେ କେସର ଅଛି। ହେଲେ କେଶରର ୧ କେଜି ମୂଲ୍ୟ ୪ ଲକ୍ଷ ଟଙ୍କା। ଏହି କେଶର ପାନ ମସଲାରେ ଆସିଥାଏ। ଏଥିରେ କେଶର ପକାଇବା ତ ଦୂରର କଥା, ଏହାର ସ୍ମେଲ ମଧ୍ୟ ଏଥିରେ ପକାଯାଇ ନଥାଏ। ଅଭିନେତା ଏହି ପାନ ମସଲା ପ୍ରତି ଦାନାରେ କେଶର ଅଛି ବୋଲି ମିଥ୍ୟା ପ୍ରଚାର କରୁଛନ୍ତି। ଅଭିଯୋଗରେ ଆହୁରି କୁହାଯାଇଛି ଯେ, ନିର୍ମାତା କମ୍ପାନୀ କୋଟି କୋଟି ଟଙ୍କାର ରୋଜଗାର କରୁଛି ଏବଂ ଅନ୍ୟ ପକ୍ଷେ ସାଧାରଣ ଲୋକେ ପାନ ମସଲା ଏବଂ ତମ୍ବାକୁର ହାନିକାରକ ଏବଂ ସାଂଘାତିକ ମିଶ୍ରଣ ଗୁଟଖାର ସେବନ କରି କ୍ୟାନ୍ସର ଭଳି ରୋଗକୁ ବରଣ କରୁଛନ୍ତି। ଏହି ଆଡ୍କୁ ସଙ୍ଗେସଙ୍ଗେ ବନ୍ଦ କରାଯାଉ।